କେନ୍ଦୁଝର,୨ା୩ (ନି.ପ୍ର) : ଏସ୍ଡିସି କପ୍-୨୦୨୦ ଫୁଟ୍ବଲ୍ ଚମ୍ପିୟାନ୍ସିପ୍ର ସେମିଫାଇନାଲ ମ୍ୟାଚ୍ରେ ମହିଳା ବର୍ଗରେ ସୁନ୍ଦରଗଡ଼ ଜିଲ୍ଲା (ମହିଳା) ଏକାଦଶ ଏବଂ ପୁରୁଷ ବର୍ଗରେ ବାରିପଦା (ପୁରୁଷ) ଏକାଦଶ ବିଜୟୀ ହୋଇ ସେମିଫାଇନାଲକୁ ଉନ୍ନୀତ ହୋଇଛନ୍ତି । ମାର୍ଚ୍ଚ ୨ତାରିଖ ସୋମବାର ସକାଳେ ଅନୁଷ୍ଠିତ ମହିଳା ବର୍ଗର ସେମିଫାଇନାଲ ମ୍ୟାଚ୍ରେ ସୁନ୍ଦରଗଡ଼ ମହିଳା ଏକାଦଶ ମ୍ୟାଚ୍ରେ ସମ୍ପୂର୍ଣ୍ଣ ପ୍ରଭାବ ବିସ୍ତାର କରି କେନ୍ଦୁଝର ଜିଲ୍ଲା ମହିଳା ଏକାଦଶକୁ ୯-୦ ଗୋଲ୍ରେ ପରାସ୍ତ କରି ଫାଇନାଲ୍ ମ୍ୟାଚ୍ ଖେଳିବା ପାଇଁ ଯୋଗ୍ୟ ବିବେଚିତ ହୋଇଛି । ସେହିପରି ପୁରୁଷ ବର୍ଗର ସେମିଫାଇନାଲ ମ୍ୟାଚ୍ରେ ବାରିପଦା ପୁରୁଷ ଏକାଦଶ ଏବଂ କୋରାପୁଟ ପୁରୁଷ ଏକାଦଶ ମଧ୍ୟରେ ଅନୁଷ୍ଠିତ ସେମିଫାଇନାଲ୍ ମ୍ୟାଚ୍ ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ହୋଇଥିଲା ।
ପ୍ରଥମାର୍ଦ୍ଧରେ ବାରିପଦା ପୁରୁଷ ଏକାଦଶ ୧-୦ ଗୋଲରେ ଅଗ୍ରଣୀ ଲାଭ କରିଥିବାବେଳେ ଦ୍ୱିତୀୟାର୍ଦ୍ଧରେ କୋରାପୁଟ ପୁରୁଷ ଏକାଦଶ ଗୋଲ ପରିଶୋଧ କରିବା ଫଳରେ ଖେଳକୁ ସମାନ ସ୍ତରକୁ ଆସିଥିଲା । ଅତିରିକ୍ତ ସମୟ ଖେଳ ସତ୍ୱେ ମ୍ୟାଚ୍ ଅମୀମାଂସିତ ରହିବାରୁ ପେନାଲ୍ଟି ସୁଟ୍ ଆଉଟ୍ ମାଧ୍ୟମରେ ବାରିପଦା ଏକାଦଶ କୋରାପୁଟ ଏକାଦଶକୁ ୫-୪ ଗୋଲରେ ପରାସ୍ତ କରି ଫାଇନାଲ ଖେଳିବା ପାଇଁ ଯୋଗ୍ୟତା ଅର୍ଜନ କରିଥିଲା ।
ଉଦ୍ୟାପନୀ ସମାରୋହରେ ମୁଖ୍ୟଅତିଥି ଭାବେ ଓଡ଼ିଆ ଭାଷା ସାହିତ୍ୟ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ମୁଖ୍ୟବକ୍ତା ଭାବେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଇଂ ପ୍ରେମାନନ୍ଦ ନାୟକ, ସମ୍ମାନିତ ଅତିଥି ଭାବେ ଘଷିପୁରା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର, ପାଟଣା ବିଧାୟକ ଜଗନ୍ନାଥ ନାଏକ, ଆନନ୍ଦପୁର ବିଧାୟକ ଭାଗୀରଥୀ ସେଠୀ, ଚମ୍ପୁଆ ବିଧାୟିକା ଶ୍ରୀମତୀ ମିନାକ୍ଷୀ ମହାନ୍ତ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ କମଳିନୀ ପାତ୍ର, ଓଏଫ୍ଡିସିର ଆଡ୍ଭାଇଜର୍ ଦେବାଶିଷ ମଲ୍ଲିକ୍, ଜିଲ୍ଲାପାଳ ଆଶିଷ ଠାକରେ, ପିଏ ଆଇଟିଡିଏ, କେନ୍ଦୁଝର ନାରାୟଣ ମୁର୍ମୁ ଯୋଗଦେଇ ଦଳମାନଙ୍କୁ ପୁରସ୍କୃତ ଓ ସ ମ୍ବର୍ଦ୍ଧିତ କରିଥିଲେ ।
ଜନଜାତିମାନଙ୍କର କଳା, ସଂସ୍କୃତି, ଐତିହ୍ୟ ଓ ପରମ୍ପରାର ବିକାଶ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହୁବିଧ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏଥିପାଇଁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି । କ୍ରୀଡ଼ା କ୍ଷେତ୍ରରେ ଜନଜାତି କ୍ରୀଡ଼ାବିତ୍ମାନେ ଉଲ୍ଲେଖନୀୟ ସଫଳତା ହାସଲ କରୁଛନ୍ତି । ଫୁଟ୍ବଲ୍ ଖେଳ ଜନଜାତି ମାନଙ୍କର ଏକ ସମୃଦ୍ଧ ପରମ୍ପରା । ଏଣୁ ଫୁଟ୍ବଲ ଖେଳ ଜରିଆରେ ଜନଜାତି କ୍ରୀଡ଼ାବିତ୍ମାନଙ୍କ ମଧ୍ୟରେ ରହିଥିବା ପ୍ରତିଭାର ଅନ୍ୱେଷଣ, ବିକାଶ କରି କ୍ରୀଡ଼ାବିତ୍ମାନଙ୍କର ଦକ୍ଷତା ଓ କୌଶଳର ଅଭିବୃଦ୍ଧି ଘଟାଇବା ଉଦେ୍ଦଶ୍ୟରେ ଏସ୍ଡିସି କପ୍ ଫୁଟ୍ବଲ୍ ଚମ୍ପିୟାନ୍ସିପ୍ ଆର ମ୍ଭ କରାଯାଇଛି ବୋଲି ଅତିଥିମାନେ ଉଦ୍ବୋଧନ ଛଳରେ କହିଥିଲେ ।
ସ୍ୱତନ୍ତ୍ର ଉନ୍ନୟନ ପରିଷଦ ରାଜ୍ୟ କମିଟିର ସଦସ୍ୟ ସଂଜୀତ କୁମାର ବେହେରା, ସ୍ୱତନ୍ତ୍ର ଉନ୍ନୟନ ପରିଷଦ କେନ୍ଦୁଝରର ପୂର୍ବତନ ଅଧ୍ୟକ୍ଷ ରାମରାଇ ମୁନ୍ଦୁୟା, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ମୟୂରଭଂଜର ପୂର୍ବତନ ଅଧ୍ୟକ୍ଷ ଦେବାଶିଷ ମାରାଣ୍ଡି, ଫାଓର ଯୁଗ୍ୱ ସମ୍ପାଦକ ସୟଦ୍ ମହମ୍ମଦ୍ ଜାବର୍, ଜିଲ୍ଲା କ୍ରୀଡ଼ା ସଂସ୍ଥାର ସମ୍ପାଦକ ଜନାର୍ଦ୍ଦନ ଦାଶ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସେମିଫାଇନାଲ ମ୍ୟାଚ୍ରେ ପୁରୁଷ ଓ ମହିଳା ବର୍ଗରେ ଉଭୟ ବିଜୟୀ ଓ ପରାଜିତ ଦଳ, ଶ୍ରେଷ୍ଠ ଖେଳାଳି ଙ୍କୁ ପୁରସ୍କୃତ ଓ ସ ମ୍ବର୍ଦ୍ଧିତ କରାଯାଇଥିଲା ।