ବ୍ରହ୍ମପୁର,ତା,୭/୧୨: ସମନ୍ୱୀତ ଶିଶୁ ବିକାଶ ଯୋଜନା ସମ୍ପର୍କିତ ଜିଲ୍ଲା ସ୍ତରୀୟ ବୈଠକ ଶୁକ୍ରବାର ଭିଡିଓ କନଫରେନ୍ସିଂ ଜରିଆରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ଅଙ୍ଗନୱାଡି କେନ୍ଦ୍ର, ଶୁଖିଲା ଖାଦ୍ୟର ଆବଣ୍ଟନ, ଅଣ୍ଡା ବଣ୍ଟନ, ମୋ ଗେହ୍ଳାଝିଅ,ପୁଷ୍ଟିକର ଖାଦ୍ୟ, ମିଶନ୍ ଶକ୍ତି ଇତ୍ୟାଦି ସମ୍ପର୍କରେ ଆଲୋଚନା ହୋଇଯାଇଛି । ଅଙ୍ଗନୱାଡି କେନ୍ଦ୍ରଗୁଡିକ ସଫେଇ ସହ ଏହାର ପରିବେଶ ସୌନ୍ଦର୍ଯ୍ୟକରଣ ଓ ସବୁଜମୟ କରିବା ନେଇ ବୃକ୍ଷରୋପଣ ଦିଗରେ ଦୃଷ୍ଟି ଦେବାକୁ ଜିଲ୍ଲାପାଳ ଅବଗତ କରାଇଥିଲେ । ଅଙ୍ଗନୱାଡି କେନ୍ଦ୍ର ପରିସରରେ ସ୍ଥାନଥିଲେ ନରେଗାରେ ମୋ କାରୀ ଫସଲ ଜାତୀୟ ବୃକ୍ଷରୋପଣ କରି କିଚେନ ଗାର୍ଡନ ନିମନ୍ତେ ପ୍ରୟାସ କରିବାକୁ କୁହାଯାଇଛି । କୋଠାବାଡିର ରଙ୍ଗ ଖରାପଥିଲେ ରଙ୍ଗ ଦେବାକୁ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ନିର୍ଦେଶ ପ୍ରଦାନ କରିଥିଲେ । ଅଙ୍ଗନୱାଡି କେନ୍ଦ୍ର ଗୁଡିକରେ ଗ୍ୟାସ୍ ଚୂଲା ଦ୍ୱାରା ରୋଷେଇ କରି କେନ୍ଦ୍ରଟିରେ ଧୂଆଁମୁକ୍ତ କରାନ୍ତୁ । ଅଙ୍ଗନୱାଡି କେନ୍ଦ୍ରକୁ ଆସୁଥିବା ଶିଶୁ ମାନଙ୍କୁ ହାତଧୋଇବା ଓ ଶୌଚାଳୟ ବ୍ୟବହାର କରିବା ସକାଶେ ଅଭ୍ୟାସ କରାନ୍ତୁ ଏହି ଅଭ୍ୟାସ ହେଲେ ସେମାନେ ନିଜ ଘରେ ଶୌଚାଳୟ ବ୍ୟବହାର କରିବାକୁ ନିଜ ଅଭିଭାବକଙ୍କୁ ଜଣାଇବେ ।
ଏହି ଅଭ୍ୟାସ ଦ୍ୱାରା ପରିମଳ ବ୍ୟବସ୍ଥାରେ ସୁଧାର ଆସିବ । ମିଶନ୍ ଶକ୍ତି ଗୃହ ଓ ଅଙ୍ଗନୱାଡି କେନ୍ଦ୍ର ୨୨ ଟି ବ୍ଳକ୍ ରେ ର୍ନିମାଣ ନିମନ୍ତେ ନିର୍ଦେଶ ଦିଆଯାଇଛି । ତାହାର ସ୍ଥିତି ସମ୍ପର୍କରେ ବିଡିଓ ମାନଙ୍କ ଠାରୁ ଚିଠା ମାଧ୍ୟମରେ ତଥ୍ୟ ଆଦାୟ କରିବାକୁ ନିର୍ଦେଶ ଦେଇଥିଲେ । ସିଡିପିଓ ମାନେ ଅଙ୍ଗନୱାଡି କମିଟି ଦ୍ୱାରା ବାଲ୍ୟ ବିବାହ ରୋକିବା ନେଇ ନଜର ରଖନ୍ତୁ । ବାଲ୍ୟ ବିବାହ ହେଉଥିବା ନଜରକୁ ଆସେ ତେବେ ଅଙ୍ଗୱାଡି କର୍ମୀ ଓ ସିଡିପିଓ ମାନଙ୍କୁ ଦାୟୀ କରାଯିବ । ବିବାହ ହେଉଥିବା ପୁଅ ଝିଅଙ୍କ ଆଧାର କାର୍ଡ ଯାଂଚ୍ କରି ସେମାନଙ୍କ ସମ୍ପର୍କରେ ତଥ୍ୟ ଓ ବୟସ ପଞ୍ଜିକରଣ କରାନ୍ତୁ । ବାଲ୍ୟବିବାହ ସମ୍ପର୍କିତ ପ୍ରାଥମିକ ସୂଚନା ପ୍ରଦାନ କଲେ ସଂପୃକ୍ତ ବ୍ୟକ୍ତି ବିଶେଷଙ୍କ ନାମ ଗୋପନ ରଖାଯାଇ ତାଙ୍କୁ ୫୦୦୦ ଟଙ୍କାର ଆର୍ଥିକ ପୁରସ୍ୱାର ଦିଆଯିବା ନେଇ ଜିଲ୍ଲାପାଳ ଘୋଷଣା କରିଥିଲେ । ଅଙ୍ଗନ ୱାଡିକର୍ମୀ ଏ ସମ୍ପର୍କରେ ପ୍ରାଥମିକ ସୂଚନା ଦେଲେ ସେମାନଙ୍କୁ ମଧ୍ୟ ୫୦୦୦ ଟଙ୍କାର ଆର୍ଥିକ ପୁରସ୍କାର ଦିଆଯିବ ବୋଲି ଜିଲ୍ଲାପାଳ ଘୋଷଣା କରିଥିଲେ । ଯେଉଁ ପରିବାରରେ ଝିଅ ଜନ୍ମ ନିଏ ସେମାନଙ୍କ ପିତାମାତା ଓ ପରିବାର ବର୍ଗଙ୍କୁ ଉତ୍ସାହିତ କରି କନ୍ୟାରତ୍ନ ବିଷୟରେ ବୁଝାନ୍ତୁ ।
ଏହାଦ୍ୱାରା ସେମାନେ କନ୍ୟାର ଜନ୍ମ ଓ ଲାଳନ ପାଳନ ଦିଗରେ ଆଗ୍ରହ ପ୍ରକାଶକରି କନ୍ୟା ସନ୍ତାନ ଜନ୍ମ ହେତୁ ଖୁସି ହେବେ ଓ ତାର ଉତ୍ତମ ଲାଳନ ପାଳନ କରିବେ । ନିର୍ଭୟ କଢି ଯୋଜନା ସକାଶେ ସଚେତନତା କାର୍ଯ୍ୟବ୍ୟାପକ କରାନ୍ତୁ । ଜିଲ୍ଲାରେ ଅପପୁଷ୍ଟିରେ ଥିବା ଶିଶୁମାନଙ୍କ ସ୍ଥିତି ଏକ ତିନି ଜଣିଅ । କମିଟି ଗଠନ କରାଯାଇ ଯାଂଚ୍ କରାଯାଉ । ଡାକ୍ତର, ନ୍ୟୁଟ୍ରିସନ୍ ଓ ସିଡିପିଓଙ୍କ ଦ୍ୱାରା ଜିଲ୍ଲା ସ୍ତରୀୟ ଟିମ୍ ଗଠନ କରି ଏହି ପ୍ରକ୍ରିୟାର ତଦାରଖ କରି ଅପପୁଷ୍ଟିର ଶିକାର ହୋଇଥିବା ଶିଶୁଙ୍କୁ କିଭଳି ପୁଷ୍ଟିକର କରାଯିବ ସେ ଘେନି କାର୍ଯ୍ୟପନ୍ଥା ସ୍ଥିର କରାଯାଉ । ଅଙ୍ଗନୱାଡି କର୍ମୀଗଣ ଗର୍ଭବତୀ ମା ମାନଙ୍କ ସହିତ ଉତ୍ତମ ସମ୍ପର୍କ ରଖନ୍ତୁ । ସେମାନଙ୍କୁ କନ୍ୟାଭୃଣ ହତ୍ୟା ନକରି କନ୍ୟା ରତ୍ନର ମହôବ ସମ୍ପର୍କରେ ସଚେତନ କରାନ୍ତୁ । ଜିଲ୍ଲାରେ ଗୋଟିଏ ସ୍ମାର୍ଟ ଅଙ୍ଗନୱାଡି କେନ୍ଦ୍ର କରାଯାଉ । ଉକ୍ତ ସ୍ମାର୍ଟ ଅଙ୍ଗନୱାଡି କେନ୍ଦ୍ରର କାନ୍ଥରେ ଶିକ୍ଷଣୀୟ ବିଷୟ ଥାଇ ପିଲାଙ୍କୁ ଆକୃଷ୍ଟ କଲାଭଳି ରଙ୍ଗବେରଙ୍ଗର ଚିତ୍ର ଅଙ୍କନ କରାଯାଉ । ଟିଭି, ଛୋଟ ଗୋଲେଇ ଟେବୁଲ ଇତ୍ୟାଦି ସାମଗ୍ରୀ ରଖାଯାଉ ଏବଂ ପିଲାମାନଙ୍କୁ ଅଙ୍ଗଭଙ୍ଗୀ ସଙ୍ଗୀତ ଇତ୍ୟାଦି ମାଧ୍ୟମ ଦ୍ୱାରା ଶିକ୍ଷା ଦିଆଯାଉ ।ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ)କବିନ୍ଦ୍ର କୁମାର ସାହୁ ସମସ୍ତ ତଥ୍ୟ ପ୍ରଦାନ କରି ସମୀକ୍ଷା କରିଥିଲେ । ଅତିରିକ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସାଧନ ଚନ୍ଦ୍ର ଦାଶ, ଜିଲ୍ଲା ଯୋଜନା ମ୍ୟାନେଜର୍ ଅରୁଣ କୁମାର ନାୟକ, ସାଶ୍ୱତ କୁମାରସାହୁ, ଦେବବ୍ରତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ