ଭୁବନେଶ୍ୱର,୨୮ା୨(ନି.ପ୍ର): ରାଜନୈତିକ ଭାବେ ଭିନ୍ନମତ ପୋଷଣ କରୁଥିବା ଦେଶର ୪ ଜଣ ଜଣାଶୁଣା ନେତା ଗୋଟିଏ ଟେବୁଲରେ ଏକାଠି ବସି ମଧ୍ୟାହ୍ନ ଭୋଜନ କରିଛନ୍ତ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ଆମନ୍ତ୍ରଣ କ୍ରମେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପୂର୍ବାଞ୍ଚଳ ପରିଷଦ ବୈଠକ ପରେ ନବୀନ ନିବାସରେ ଏକତ୍ର ମଧ୍ୟାହ୍ନ ଭୋଜନ କରିଛନ୍ତି । ସ୍ୱତନ୍ତ୍ର ଭାବେ ମଧ୍ୟାହ୍ଣ ଭୋଜନକୁ ନିମନ୍ତ୍ରିତ ହୋଇଥିଲେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ତଥା ରାଜ୍ୟ ବିଜେପିର ତୁଙ୍ଗ ନେତା ଧର୍ମେନ୍ଦ୍ର ପ୍ରଧାନ ।
ପିଗ୍ଧଳ ଥାଳିରେ ଏହି ୫ ନେତାଙ୍କୁ ଖାଦ୍ୟ ପରସା ଯାଇଥିଲା । ଯେଉଁଥିରେ ମୁଖ୍ୟତଃ ଓଡ଼ିଆ ବ୍ୟଜନ ଥିବା ଦେଖିବାକୁ ମିଳିଥିଲା । ଭାତ, ଡାଲି ସହ ପନିର, ବାଇଗଣ ଭଜା, ଆଳୁ ମଟର ମସଲା, ଟମାଟୋ ଚଟନୀ, ମିଠାରେ ଗୁଲାପ ଜାମୁନ୍, ରସଗୋଲା, ଛେନା ପୋଡ଼, ରସ ମଲାଇ, ଦହି ବୁନ୍ଦି ସହ ପାମ୍ପଡ଼ ରହିଥିଲା । ସେହିଭଳି ଆମିଷରେ ଓଡ଼ିଆ ମାଛ ବେଶର, ଚିକେନ, ମଟନ ଓ ଚିଙ୍ଗୁଡି ଥିଲା । ଏହା ସ୍ପଷ୍ଟ କରୁଛି ଯେ ଯଦିଓ ରାଜନୈତିକ ବି·ରଧାରା ଓ ଅଭିବ୍ୟକ୍ତି ଦୃଷ୍ଟିରୁ ୩ ମୁଖ୍ୟମନ୍ତ୍ରୀ ଓ ୨ କେନ୍ଦ୍ରମନ୍ତ୍ରୀଙ୍କର କେଣସି ସାମଞ୍ଜସ୍ୟ ନାହିଁଁ କିନ୍ତୁ ବ୍ୟକ୍ତିଗତ ସ୍ତରରେ ଏକତ୍ରିତ ହେବାରେ ବି କୌଣସି ଅସୁବିଧା ନାହିଁ । ସାଧାରଣ ଭାବେ ସାମାଜିକ ଉତ୍ସବରେ ଏହା ଦେଖିବାକୁ ମିଳିଥାଏ, ମାତ୍ର ଆଜି ଏକ ସରକାରୀ କାର୍ଯ୍ୟକ୍ରମ ପରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ଆମନ୍ତ୍ରଣ କ୍ରମେ ତାଙ୍କ ବାସଭବନରେ ଭୋଜନ କରିବା ସହ ବେଶ୍ କିଛି ସମୟ ଅତିବାହିତ କରିଛନ୍ତି ନବୀନ, ନୀତୀଶ, ମମତା, ଶାହା ଓ ଧର୍ମେନ୍ଦ୍ର ।
ସିଏଏ ପ୍ରସଙ୍ଗକୁ ନେଇ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କୁ ତୀବ୍ର ବିରୋଧ କରୁଥିବା ବେଳେ ଓଡ଼ିଶା ଓ ବିହାର ମୁଖ୍ୟମନ୍ତ୍ରୀ ସେମାନଙ୍କ ରାଜ୍ୟରେ ଏନପିଆର୍ ଲାଗୁକୁ ଗ୍ରହଣ କରିନାହାନ୍ତ । କୌତୁହଳର ବିଷୟ ହେଲା, ନିର୍ବାଚନ ସମୟରେ ନବୀନଙ୍କୁ କଡା ସମାଲୋଚନା କରୁଥିବା ଅମିତ ଶାହା ତାଙ୍କ ସହ ମଧ୍ୟାହ୍ନ ଭୋଜନ କରିବାରେ ଆଦୌ ଅସହଜ ହୋଇନାହାନ୍ତ । ସେହିପରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ଅମିତ ଶାହାଙ୍କ କଠୋର ସମାଲୋଚକ ଭାବେ ଜଣାଶୁଣା । ସିଏଏକୁ ନେଇ ସେ କେନ୍ଦ୍ର ସରକାରଙ୍କୁ ମୂଳରୁ କଡା ବିରୋଧ କରି ଆସିଛନ୍ତି, କିନ୍ତୁ ସେ ବି ବିନା ଦ୍ୱିଧାରେ ଅମିତ ଶାହାଙ୍କ ସହ ଭୋଜନରେ ଏକତ୍ରିତ ହୋଇଥିଲେ । ଉଲ୍ଲେଖଯୋଗ୍ୟ, ନବୀନଙ୍କ ସହ ମଧ୍ୟାହ୍ନ ଭୋଜନ କରିବା ପରେ ଶାହା ରାଜ୍ୟସ୍ତରୀୟ ସିଏଏ ସମର୍ଥନ ସମାବେଶରେ ଯୋଗ ଦେଇଥିଲେ । ସେହିପରି କେନ୍ଦ୍ର ସରକାରଙ୍କ ନୀତିର କଡ଼ା ସମାଲୋଚନା କରୁଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିହାର ବିଧାନସଭାରେ ଏନପିଆର ଲାଗୁକୁ ବିରୋଧ ଲାଗି ପ୍ରଥମ ଏନଡିଏ ରାଜ୍ୟ ଭାବେ ସଂକଳ୍ପ ପାରିତ କରିଛନ୍ତି ।