ଭୂବନେଶ୍ୱର,; ପୌର ନିର୍ବାଚନକୁ ନେଇ୨ ବର୍ଷ ହେବ ଅଚଳାବସ୍ଥା ଲାଗି ରହିଛି । ହାଇକୋର୍ଟଙ୍କ ନିର୍ଦେଶ ପରେ ୬ ମାସ ମଧ୍ୟରେ ନିର୍ବାଚନ କରିବାକୁ ସରକାର ପ୍ରସ୍ତୁତି ହୋଇଛନ୍ତି ।ହାଇକୋର୍ଟଙ୍କ ନିର୍ଦେଶ ମୁତାବକ ସଂରକ୍ଷଣ ହାର ୫୦ ପ୍ରତିଶତ ମଧ୍ୟରେ ସୀମିତ ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।ଏ ନେଇ ଆସନ୍ତା ୨୦ ତାରିଖ ଠାରୁ ବିଧାନ ସଭାରେ ବସିବାକୁ ଥିବା ଶୀତକାଳୀନ ଅଧିବେଶନରେ ପୌର ନିୟମ ସଂଶୋଧନ ନେଇ ବିଧେୟକ ଆସିବ ବୋଲି ଜଣାପଡିଛି ।ଏହା ପାରିତ ହେବା ପରେ ସରକାର ପୌର ନିର୍ବାଚନ ପାଇଁକିଭଳି ପ୍ରସ୍ତୁତ ହେଉଛନ୍ତି ସେନେଇ ରାଜ୍ୟ ନିର୍ବାଚନ କମିସନଙ୍କୁ ଅବଗତ କରାଇବେ । ଏହା ପରେ କମିସନ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବେ ।
ୱାର୍ଡ ପୁନର୍ଗଠନ, ଭୋଟର ତାଲିକା ପ୍ରସ୍ତୁତି ସହନିର୍ବାଚନ କରାଇବାକୁ ୬ ମାସ ସମୟଆବଶ୍ୟକ ବୋଲି ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ପୌରାଞ୍ଚଳର ସୀମା ପୁନଃନିର୍ଦ୍ଧାରଣ, ସ୍ଥାନସଂରକ୍ଷଣ ଓ ନିର୍ବାଚନ ପରିଚାଳନା ନିୟମ ୧୯୯୪ରେ ସଂଶୋଧନ ଆସିବା ପରେ୨୦୨୧ ଜୁନ୍ ସୁଦ୍ଧା ପୌର ନିର୍ବାଚନ ହୋଇପାରେ ବୋଲି ନଗର ଉନ୍ନୟନ ବିଭାଗ ସୂଚନା ଦେଇଛି । ସୂଚନା ଥାଉକି ଯେ ୨୦୧୨ ପଞ୍ଚାୟତ ନିର୍ବାଚନ,୨୦୧୩ ପୌର ନିର୍ବାଚନ ଓ ୨୦୧୭ ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ହାର ଅଧିକ ଥିଲା । ଅନୁସୂଚିତ ଜନଜାତି, ଅନୁସୂଚିତଜାତି ଓ ପଛୁଆବର୍ଗଙ୍କ କ୍ଷେତ୍ରରେ ସଂରକ୍ଷଣ ହାର ୬୪ ପ୍ରତିଶତ ହେଉଥିଲା ।
୨୦୧୦ରେ ସୁପ୍ରିମକୋର୍ଟଯେଉଁ ରାୟ ଦେଇଥିଲେ ଏହି ସଂରକ୍ଷଣ ହାର ତାହାକୁ ଅବମାନନା କରୁଥିବା ଦର୍ଶାଇ ହାଇକୋର୍ଟରେ ୧ ଶହରୁ ଅଧିକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା । ଏହାର ଶୁଣାଣି କରି ହାଇକୋର୍ଟ ଅନୁସୂଚିତ ଅଞ୍ଚଳକୁ ବାଦ ଦେଇ ରାଜ୍ୟର ଅନ୍ୟ ସମସ୍ତ ଅଞ୍ଚଳରେ ଆସନ ସଂରକ୍ଷଣକୁ ୫୦ ପ୍ରତିଶତରୁ ଅଧିକ ନକରିବା ପାଇଁ ନିର୍ଦେଶ ଦେଇଥିଲେ ।ଏହାକୁ ଚ୍ୟାଲେଞ୍ଜ କରି ରାଜ୍ୟସରକାର ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ସୁପ୍ରିମକୋର୍ଟ ହାଇକୋର୍ଟର ରାୟକୁ କାଏମ ରଖିବାକୁ ରାଜ୍ୟସରକାର ଏହାର ପୁନର୍ବିଚାର ପାଇଁ ଏକ ରିଭ୍ୟୁ ପିଟିସନ ଦାଖଲ କରିଥିଲେ । ଯାହାକି ଖାରଜ ହୋଇଯାଇଥିଲା । ରାଜ୍ୟରେ ୨୦୧୮ମସିହା ସେପ୍ଟେମ୍ବର ମାସରୁ ବିଭିନ୍ନ ପୌରାଞ୍ଚଳରେ ନିର୍ବାଚିତ ପ୍ରତିନିଧିମାନଙ୍କ କାର୍ଯ୍ୟକାଳ ସରିବା ଆରମ୍ଭ ହୋଇଥିଲା । ୨୦୧୯ଫେବୃଆରି ୧୩ ତାରିଖ ମଧ୍ୟରେ କଟକ, ଭୁବନେଶ୍ୱର ମହାନଗର ନିଗମ ସହିତ ରାଜ୍ୟର ୯୩ ଟି ପୌରାଞ୍ଚଳର ନିର୍ବାଚିତ ପ୍ରତିନିଧିମାନଙ୍କର କାର୍ଯ୍ୟକାଳ ଶେଷ ହୋଇଥିଲା ।