26.1 C
Bhubaneswar
Thursday, July 29, 2021

ଉଭୟ ଜୀବନ ଏବଂ ଜୀବିକା ପ୍ରତି ଗୁରୁତ୍ୱ ଦେବା ଉଚିତ : ପ୍ରଧାନମନ୍ତ୍ରୀ

Must read

ନୂଆଦିଲ୍ଲୀ,୧୭ା୬(ପିଆଇବି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଭିଡିଓ କନଫରେନ୍ସିଂ ଜରିଆରେ ଅନ ଲକ ୧.୦ ପରେ ଦେଖାଦେଇଥିବା ସ୍ଥିତି ଏବଂ କୋଭିଡ-୧୯ ମହାମାରୀ ମୁକାବିଲା ପାଇଁ ଆଗକୁ ଯୋଜନା ବିଷୟରେ ଆଲୋଚନା କରିଛନ୍ତି । ଏହାକୁ ମିଶାଇ ଷଷ୍ଠଥର ପାଇଁ ପ୍ରଧାନମନ୍ତ୍ରୀ ସମାନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଆଲୋଚନା କରିସାରିଲେଣି । ପୂର୍ବରୁ ୨୦ ମାର୍ଚ୍ଚ, ୨ ଏପ୍ରିଲ, ୧୧ ଏପ୍ରିଲ, ୨୭ ଏପ୍ରିଲ ଏବଂ ୧୧ ମେ’ରେ ଏଭଳି ୫ଟି ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରଧାନମନ୍ତ୍ରୀ ମତ ରଖିଥିଲେ ଯେ ମହାମାରୀ ମୁକାବିଲା ଦିଗରେ ସମୟୋଚିତ ନିଷ୍ପତି ନିଆଯିବା କାରଣରୁ ଦେଶରେ ଏହାର ସଂକ୍ରମଣକୁ ପ୍ରଭାବୀ ଢଙ୍ଗରେ ଅବରୋଧ କରାଯିବା ସମ୍ଭବ ହୋଇପାରିଛି । ଆମେ ପଛକୁ ଫେରି ଚାହିଁଲେ, ଆମେ ସାରା ବିଶ୍ୱ ପାଇଁ ସଂଘୀୟ ସହଯୋଗର ଏକ ଉଦାହରଣ ଉପସ୍ଥାପନ କରିପାରିଛୁ ବୋଲି ଅନେକ ଦିନ ପର୍ଯ୍ୟନ୍ତ ଲୋକମାନେ ମନେ ରଖିବେ ବୋଲି ସେ କହିଥିଲେ । ଆମେ ପ୍ରତିଟି ଜୀବନ ରକ୍ଷା ଲାଗି ଚେଷ୍ଟା କରିଛୁ, ପ୍ରଧାନମନ୍ତ୍ରୀ କହିଥିଲେ । ପରିବହନର ସମସ୍ତ ମାର୍ଗ ଖୋଲିସାରିଛି, ଲକ୍ଷାଧିକ ପ୍ରବାସୀ ଶ୍ରମିକ ସେମାନଙ୍କ ଗାଁକୁ ଫେରିସାରିଛନ୍ତି, ବିଦେଶରୁ ହଜାର ହଜାର ଭାରତୀୟ ଫେରିଆସିଛନ୍ତି ଏବଂ ଯଦିଓ ଭାରତରେ ବିପୁଳ ଜନସଂଖ୍ୟା ରହିଛନ୍ତି ବିଶ୍ୱର ଅନ୍ୟ ପ୍ରାନ୍ତ ଭଳି କରୋନା ଭୂତାଣରୁ ଏଠାରେ ସେତେ ପ୍ରାଣଘାତୀ ରୂପ ନେଇପାରି ନାହିଁ ବୋଲି ପ୍ରଧାନମନ୍ତ୍ରୀ ଆଲୋକପାତ କରି କହିଥିଲେ । ଭାରତୀୟମାନେ ପ୍ରଦର୍ଶନ କରିଥିବା ଶୃଙ୍ଖଳାକୁ ସାରା ବିଶ୍ୱରେ ବିଶେଷଜ୍ଞମାନେ ପ୍ରଶଂସା କରୁଛନ୍ତି, ଦେଶରେ ଆରୋଗ୍ୟ ହାର ବର୍ତମାନ ୫୦%ରୁ ଅଧିକ ହୋଇସାରିଲାଣି । କରୋନା ଭୂତାଣୁ ଜନିତ କମ ମୃତୁ୍ୟହାର ଥିବା ଦେଶଗୁଡ଼ିକ ମଧ୍ୟରେ ଭାରତ ପରିଗଣିତ ହେଉଛି । ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ସବୁଠୁ ବଡ଼ ଶିକ୍ଷା ହେଉଛି ଯଦି ଆମେ ଶୃଙ୍ଖଳିତ ରହିବା ଏବଂ ନିୟମ ପାଳନ କରିବା, କରୋନା ଭୂତାଣୁ କମ କ୍ଷତି ପହଁଚାଇବ । ସେ ମାସ୍କ/ ମୁହଁଘୋଡ଼ା ବ୍ୟବହାର ଉପରେ ଗୁରୁତ୍ୱାରୋପ କରି ଏହା ବିନା କେହି ବି ବାହାରକୁ ଯିବା ଅନୁଚିତ ବୋଲି କହିଥିଲେ । ଏହା କେବଳ ବ୍ୟକ୍ତିଗତ ସୁରକ୍ଷା ପାଇଁ ଜରୁରି ନୁହେଁ ବରଂ ପରିବାର ଓ ସମୁଦାୟର ସୁରକ୍ଷା ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ସେ ମଧ୍ୟ ‘ଦୁଇ ଗଜ ଦୂରତା’, ସାବୁନ ଓ ପାଣିରେ ହାତ ଧୋଇବା ଓ ସାନିଟାଇଜର ବ୍ୟବହାର କରିବାର ମନ୍ତ୍ର ବିଷୟରେ ଆଲୋଚନା କରିଥିଲେ । ଶୃଙ୍ଖଳାରେ ସାମାନ୍ୟ ତ୍ରୁଟି ରହିଲେ ଭୂତାଣୁ ବିରୋଧରେ ଆମର ଲଢ଼େଇ ଦୁର୍ବଳ ହୋଇଯିବ ବୋଲି ସେ ଚେତାବନୀ ଦେଇଥିଲେ । ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ବିଗତ କିଛି ସପ୍ତାହ ଧରି ନିଆଯାଇଥିବା ପଦକ୍ଷେପ କାରଣରୁ ଅର୍ଥବ୍ୟବସ୍ଥାରେ ସବୁଜ ସଙ୍କେତ ବର୍ତମାନ ପରିଲକ୍ଷିତ ହୋଇଛି । ପୂର୍ବରୁ ହ୍ରାସ ପାଇଥିବା ବିଦୁ୍ୟତ ଶକ୍ତି ବ୍ୟବହାର ବୃଦ୍ଧି ପାଇଛି, ସାର ବିକ୍ରିରେ ମେ’ ମାସରେ ଗୁରୁତ୍ୱପୂର୍ଣ୍ଣ ବୃଦ୍ଧି ହୋଇଛି, ଗତବର୍ଷ ତୁଳନାରେ ଖରିଫ ଫସଲ ବୁଣାରେ ବୃଦ୍ଧି ଦେଖିବାକୁ ମିଳିଛି, ଦୁଇ ଚକିଆ ଉତ୍ପାଦନ ବୃଦ୍ଧି ପାଇଛି, ଖୁଚୁରା ବ୍ୟବସାୟ କ୍ଷେତ୍ରରେ ଡିଜିଟାଲ ଅର୍ଥ ପଇଠ ଲକଡାଉନ ପୂର୍ବ ସ୍ତରରେ ପହଁଚିପାରିଛି, ମେ’ ମାସରେ ଟୋଲ ଆଦାୟ ବୃଦ୍ଧି ପାଇଛି ଏବଂ ରପ୍ତାନିରେ ପୁଣିଥରେ ସୁଧାର ଆସିଛି । ଏସବୁ ସଙ୍କେତ ଆମକୁ ଆଗକୁ ବଢ଼ିବା ନିମନ୍ତେ ଉତ୍ସାହିତ କରୁଛି । କୃଷି କ୍ଷେତ୍ରରେ ନିଆଯାଇଥିବା ସଂସ୍କାର ଜରିଆରେ ଚାଷୀମାନେ ଲାଭବାନ ହୋଇପାରିବେ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ସେମାନଙ୍କୁ ନିଜ ଉତ୍ପାଦ ବିକ୍ରି ପାଇଁ ନୂଆ ସୁଯୋଗ ମିଳିବ, ଆୟ ବୃଦ୍ଧି ହେବା ଫଳରେ ଅର୍ଥବ୍ୟବସ୍ଥାରେ ଚାହିଦା ବୃଦ୍ଧି ପାଇବ । ଜୈବିକ ଉତ୍ପାଦ, ବାଉଁଶ ଉତ୍ପାଦ ଏବଂ ଅନ୍ୟ ଜଙ୍ଗଲଜାତ ଉତ୍ପାଦ ପାଇଁ ନୂଆ ବଜାର ସୁଯୋଗ ଖୋଲିବା ସହିତ ଉତର-ପୂର୍ବାଂଚଳ ଏବଂ ଆଦିବାସୀ ଅଂଚଳରେ କୃଷି ଏବଂ ଉଦ୍ୟାନ କୃଷି ପାଇଁ ନୂତନ ସମ୍ଭାବନା ସୃଷ୍ଟି ହେବ । ସ୍ଥାନୀୟ ଉତ୍ପାଦ ପାଇଁ କ୍ଲଷ୍ଟର ଆଧାରିତ ଆଭିମୁଖ୍ୟ କାରଣରୁ ରାଜ୍ୟଗୁଡ଼ିକ ଲାଭବାନ ହେବେ ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ ଆହୁରି ଉଲ୍ଲେଖ କରିଥିଲେ ଯେ ଉନ୍ନତ ପ୍ରକ୍ରିୟାକରଣ ଏବଂ ଅଧିକ ପ୍ରଭାବୀ ବିପଣନ ଲାଗି ଜିଲ୍ଲା ଓ ବ୍ଲକ ସ୍ତରରେ ଉତ୍ପାଦଗୁଡ଼ିକୁ ଚିହ୍ନଟ କରାଯିବା ଆବଶ୍ୟକ । ଆତ୍ମନିର୍ଭର ଭାରତ ଅଭିଯାନ ଅନ୍ତର୍ଗତ କରାଯାଇଥିବା ଘୋଷଣାଗୁଡ଼ିକୁ ଯଥାଶୀଘ୍ର ଫଳପ୍ରଦ କରିବା ଲାଗି ମିଳିତ ଭାବେ କାର୍ଯ୍ୟ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଦୁଇଦିନିଆ ଆଲୋଚନାର ଆଜି ଥିଲା ପ୍ରଥମ ଦିନ । ଏହି ବୈଠକରେ ପଞ୍ଜାବ, ଆସାମ, କେରଳ, ଉତରାଖଣ୍ଡ, ଝାଡ଼ଖଣ୍ଡ, ଛତିଶଗଡ଼, ତ୍ରିପୁରା, ହିମାଚଳ ପ୍ରଦେଶ, ଚଣ୍ଡିଗଡ଼, ଗୋଆ, ମଣିପୁର, ନାଗାଲାଣ୍ଡ, ଲଦାଖ, ପୁଡୁଚେରୀ, ଅରୁଣାଚଳ ପ୍ରଦେଶ, ମେଘାଳୟ, ମିଜୋରାମ, ଆଣ୍ଡାମାନ ଓ ନିକୋବାର ଦ୍ୱୀପସମୂହ, ଦାଦ୍ରା ନଗର ହାଭେଳୀ ଏବଂ ଡାମନ ଡିଉ, ସିକିମ ଓ ଲାକ୍ଷାଦ୍ୱୀପ ଆଦି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ମୁଖ୍ୟମନ୍ତ୍ରୀ ଓ ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ । ଏଭଳି ଆହ୍ୱାନପୂର୍ଣ୍ଣ ସମୟରେ ନେତୃତ୍ୱ ନେବା ଏବଂ ଭୂତାଣୁ ବିରୋଧରେ ମିଳିତ ଲଢ଼େଇ କରିବା ଲାଗି ଦେଶକୁ ଏକଜୁଟ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀମାନେ ଧନ୍ୟବାଦ ଜଣାଇଥିଲେ । ନିଜ ରାଜ୍ୟରେ ବର୍ତମାନର ସ୍ୱାସ୍ଥ୍ୟ ଭିତିଭୂମି ଏବଂ ଭୂତାଣୁ ମୁକାବିଲା ନିମନ୍ତେ ଏହାକୁ ବୃଦ୍ଧି କରିବା କ୍ଷେତ୍ରରେ ଗ୍ରହଣ କରାଯାଇଥିବା ପଦକ୍ଷେପ ବିଷୟରେ ସେମାନେ ମତାମତ ଦେଇଥିଲେ । ସେମାନଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ସଚେତନତା ଅଭିଯାନ, ଘରକୁ ଫେରିଥିବା ଶ୍ରମିକମାନଙ୍କୁ ସହାୟତା, ଆରୋଗ୍ୟ ସେତୁ ଆପର ବ୍ୟବହାର ଏବଂ ରାଜ୍ୟଗୁଡ଼ିକରେ ଆର୍ଥିକ କାର୍ଯ୍ୟକଳାପ ଆରମ୍ଭ କରିବା ସମ୍ପର୍କରେ ସେମାନେ ସୂଚନା ଦେଇଥିଲେ । ମତାମତ ପାଇଁ ମୁଖ୍ୟମନ୍ତ୍ରୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ ପ୍ରଧାନମନ୍ତ୍ରୀ । ଉଭୟ ଜୀବନ ଓ ଜୀବିକା ଉପରେ ଗୁରୁତ୍ୱାରୋପ କରିବାର ଆବଶ୍ୟକତା ଉପରେ ସେ ଆଲୋକପାତ କରିଥିଲେ । ସେ କହିଥିଲେ ଗୋଟିଏ ପଟେ ପରୀକ୍ଷା ଓ ଚିହ୍ନଟ ଉପରେ ଗୁରୁତ୍ୱାରୋପ କରାଯାଇ ସ୍ୱାସ୍ଥ୍ୟ ଭିତିଭୂମିରେ ବୃଦ୍ଧି କରିବାର ଆବଶ୍ୟକତା ରହିଛି । ଅନ୍ୟପଟେ ଆର୍ଥିକ କାର୍ଯ୍ୟକଳାପକୁ ମଧ୍ୟ ବଢ଼ାଇବା ଜରୁରି । ବର୍ତମାନ ଓ ଭବିଷ୍ୟତର ଆବଶ୍ୟକତା ଉପରେ ଦୃଷ୍ଟି ଦେଇ ନିଷ୍ପତି ନିଆଯିବାର ଆବଶ୍ୟକତାରହିଛି । ସେ ରାଜ୍ୟ ନେତୃବର୍ଗଙ୍କୁ ଆହ୍ୱାନ କରି କହିଥିଲେ ଯେ ଭୂତାଣରୁ ଭୟ ଏବେ ସୁଦ୍ଧା ଯାଇପାରିନ ।ହିଁ ବୋଲି ମନେ ରଖିବା ଉଚିତ ଏବଂ ଆର୍ଥିକ କାର୍ଯ୍ୟକଳାପ ଖୋଲିବା ସମୟରେ ସତର୍କ ରହିବାର ଆବଶ୍ୟକତା ରହିଛି ।

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article